ମା ମାହେଶ୍ଵରୀଙ୍କ ଚୁଡାଖାଇ ଯାତ୍ରା
ପ୍ରତିବର୍ଷ ମାର୍ଗଶୀର ମାସ ଶେଷ ଗୁରୁବାର ଦିନ ପଞ୍ଚରାର ଅଧିଷ୍ଠାତ୍ରୀ ମା ମାହେଶ୍ଵରୀଙ୍କ ଡଙ୍ଗର ଯାତ୍ରା ଅନୁଷ୍ଠିତ ହୁଏ । ଏହି ଯାତ୍ରାରେ ମା ମାହେଶ୍ଵରୀ ଓ ମା ଖମ୍ବେଶ୍ଵରୀଙ୍କ ପ୍ରତୀକ ସ୍ୱରୂପ ଦୁଇଟି ଛତର ପଞ୍ଚରା ପ୍ରଗଣା ଅନ୍ତର୍ଗତ ବାଗଡ଼ିଆ ଗ୍ରାମ ନିକଟସ୍ଥ ଡଙ୍ଗର (ପାହାଡ଼)କୁ ନିଆଯାଏ । ମା ମାହେଶ୍ଵରୀ ଓ ମା ଖମ୍ବେଶ୍ଵରୀଙ୍କ ଛତର ଋଷିବନ୍ଧସ୍ଥିତ ପୀଠରୁ ବାହାରି ଖଲିଆପାଲି , ତାଳପଦର , କୁମରକାନି ଗାଁ ଦେଇ ଭୀମ ଫାଟକୁ ଯାଆନ୍ତି । ଯାତ୍ରା କଲାବେଳେ ମାଙ୍କ ପାଖରେ ବିଭିନ୍ନ ଋତୁକାଳୀନ ଫଳ ଅର୍ପଣ କରାଯାଏ । ଏହି ଭୋଗ ମଧ୍ୟରେ ଚୁଡ଼ା ହେଉଛି ଶ୍ରେଷ୍ଠ । ତେଣୁ ଯାତ୍ରାର ଅନ୍ୟ ନାମ ଚୁଡାଖାଇ ଯାତ୍ରା । ସେଠାରେ ମାଙ୍କ ନିଶାକାଳୀନ ପୂଜା ସରିବା ପରେ ନିଶା ରାତ୍ରିରେ ହିଁ ପ୍ରତ୍ୟାବର୍ତ୍ତନ କରନ୍ତି । ପୂଜା ସମୟରେ ଦେହେରୀ , ଝାଙ୍କର , ବାହକ, ଛତ୍ରିଆ, ପଞ୍ଚରାର ବଡ ମଲ୍ଲିକଙ୍କ ସହ ଅନ୍ୟାନ୍ୟ ସେବାକାରୀ ସେଠି ଉପସ୍ଥିତ ଥାଆନ୍ତି । ପରଦିନ ଅର୍ଥାତ ଶୁକ୍ରବାର ଦିନ ମା ଙ୍କ ପୀଠ ଋଷିବନ୍ଧରେ ଚୁଡାଖାଇ ଯାତ୍ରା ଅନୁଷ୍ଠିତ ହୁଏ । ଆଠ ଦିନ ପରେ ଅର୍ଥାତ ପରବର୍ତ୍ତୀ ଗୁରୁବାର ଦିନ ମା’ଙ୍କ ଛତ୍ର ଦ୍ୱୟ ପଞ୍ଚରାସ୍ଥିତ ଷାଣ୍ଢପାଲି , ମନୁପାଲି , ଯମଟାଙ୍ଗି ଗାଁ ଦେଇ ଗୁଦୁଗୁଦାକୁ ଯାତ୍ରା କରନ୍ତି । ଏହାକୁ ‘ଆଠମଙ୍ଗଳା ଯାତ୍ରା’ କୁହାଯାଏ । . . .
